logo

ହରିଆଣା ସରକାରରେ ସଂକଟ; କଂଗ୍ରେସକୁ ସମର୍ଥନ ଦେଲେ ୩ ସ୍ବାଧୀନ ବିଧାୟକ

ଚଣ୍ଡିଗଡ,୮।୫: ଲୋକସଭା ନିର୍ବାଚନ ବେଳେ ହରିଆଣା ସରକାରରେ ସଂକଟ । ନାୟବ ସିଂହ ସାଇନି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ବାଧୀନ ବିଧାୟକ । ଏହା ସହିତ ସେମାନେ କଂଗ୍ରେସକୁ ନିଜର ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି । ସେପଟେ କଂଗ୍ରେସ ଗୃହରେ ସଂଖ୍ୟା ଗରିଷ୍ଠତା ଦାବି କରିଛି । ସରକାର ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି କହିଛି । ଅନ୍ୟପଟେ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି କହିଛନ୍ତି ଏକ ସୁସ୍ଥ ସରକାରକୁ ଅସ୍ଥିର କରିବାକୁ କଂଗ୍ରେସର ଏହା ଏକ ଚକ୍ରାନ୍ତ ।

ମଙ୍ଗଳବାର ହରିଆଣା ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲେ ୩ ନିର୍ଦଳୀୟ ବିଧାୟକ । ସେମାନେ ହେଲେ ଦାଦ୍ରି ବିଧାୟକ ସୋମବିର ସଙ୍ଗୱାନ, ନିଲୋଖରି ବିଧାୟକ ଧରମପାଲ ଗୋନ୍ଧର ଏବଂ ପୁଣ୍ଡରି ବିଧାୟକ ରଣଧିର ଗୋଲନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡା ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଉଦୟଭାନଙ୍କ ସହ ରୋହତକରେ ଏକ ପ୍ରେସ୍ ମିଟ୍ କରି ଏହି ଘୋଷଣା କରିଥିଲେ । ଉଦୟଭାନ କହିଛନ୍ତି, ସାଇନି ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ୍ । ରାଜ୍ୟରେ ତୁରନ୍ତ ସାନି ବିଧାନସଭା ନିର୍ବାଚନ ହେବା ଦରକାର ।

କଂଗ୍ରେସ ପାଖରେ ବର୍ତ୍ତମାନ ୪୫ ବିଧାୟକଙ୍କ ସମର୍ଥନ ଥିବା ହୁଡା ଦାବି କରିଛନ୍ତି । ବିଧାୟକ ଗୋଲନ କହିଛନ୍ତି ରାଜ୍ୟରେ ବେକାରୀ ଓ ମୁଦ୍ରାସ୍ଫୀତି ହାର ଚରମ ସୀମାରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ସେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଗୋନ୍ଧର କହିଛନ୍ତି, ମନୋହର ଲାଲ ଖଟ୍ଟର କ୍ଷମତାରେ ଥିବା ପର୍ଯ୍ୟନ୍ତ ଆମେ ସମର୍ଥନ ଦେବୁ ବୋଲି କହିଥିଲୁ କିନ୍ତୁ ସେ ଆଉ କ୍ଷମତାରେ ନାହାନ୍ତି । ଆମେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ପ୍ରତ୍ୟାହାର କରିଛୁ । ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି, ସରକାରକୁ ଅସ୍ଥିର କରିବା ପଛରେ କଂଗ୍ରେସର ହାତ ରହିଛି । କଂଗ୍ରେସ କିଛି ଲୋକଙ୍କ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ପ୍ରତିଶ୍ରୁତି ଦେଇ ଏଭଳି କରିଛି । କିନ୍ତୁ ଲୋକଙ୍କ ସ୍ୱାର୍ଥ ସହିତ କଂଗ୍ରେସର କିଛି ନେଣଦେଣ ନାହିଁ । ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୯୦ । ସ୍ୱାଧୀନ ବିଧାୟକ ରଣଜିତ ଚୌଟାଲା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ପରେ ଏହା ୮୮କୁ ଖସିଆସିଛି । ବହୁମତ ଲାଗି ୪୫ ବିଧାୟକଙ୍କ ସମର୍ଥନ ଦରକାର । ବିଜେପିର ଆସନ ସଂଖ୍ୟା ୪୦ ରହିଥିଲା ବେଳେ ଏହାକୁ ୨ ସ୍ୱାଧୀନ ବିଧାୟକ ଓ ଲୋକହିତ ପାର୍ଟିର ଜଣେ ବିଧାୟକ (ଗୋପାଳ କାଣ୍ଡା) ସମର୍ଥନ କରୁଛନ୍ତି । ଫଳରେ ବିଜେପି ପାଖରେ ବର୍ତ୍ତମାନ ୪୩ ବିଧାୟକଙ୍କ ସମର୍ଥନ ରହିଛି । ମୁଖ୍ୟମନ୍ତ୍ରୀ ସାଇନି ଏବେ କର୍ଣ୍ଣାଲ ଉପନିର୍ବାଚନ ଲଢ଼ୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସର ୩୦ ବିଧାୟକ ରହିଥିଲା ବେଳେ ଜେଜେପିର ୧୦ ଅଛନ୍ତି । ଆଇଏନ୍‌ଏଲ୍‌ଡିର ଜଣେ ଓ ଅନ୍ୟ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ଦଳକୁ ସମର୍ଥନ କରୁଛନ୍ତି । ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଫଳରେ କଂଗ୍ରେସ ନିକଟରେ ୪୫ ବିଧାୟକଙ୍କ ସମର୍ଥନ ରହିଥିବା ଦଳ ପକ୍ଷରୁ ଦାବି କରାଯାଇଛି ।

0
0 views